ପୁନରୁଦ୍ଧାର ହେବ ୪୪ ଜଳାଶୟ

ଭୁବନେଶ୍ବର: ରାଜଧାନୀ ଜନବସତି ଅଞ୍ଚଳରେ ରହିଥିବା ପ୍ରମୁଖ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନିଆଯାଇଛି। ଲୋକଙ୍କ ସକ୍ରିୟ ଯୋଗଦାନରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଉଦ୍ୟମରେ ମା’ ମଙ୍ଗଳା ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଭୁବନେଶ୍ୱର ପ୍ଲେସ୍‌ମେକିଂ ମାରାଥନ୍‌ରେ ସମ୍ମାନିତ ହୋଇଛି। ସକ୍ରିୟ ଗୋଷ୍ଠୀ ସହଯୋଗ ଦ୍ୱାରା ଏହା ସମ୍ଭବପର ହୋଇଛି ବୋଲି ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂ କହିଛନ୍ତି। ତାହାକୁ ନଜରରେ ରଖି ସହରର ଅନ୍ୟ ପ୍ରମୁଖ ଜଳାଶୟଗୁଡ଼ିକର ବିକାଶ ଦିଗରେ ପଦକ୍ଷେପ ନିଆଯାଇଛି। ଏଥିପାଇଁ ବିଏମ୍‌ସି ୱେବ୍‌ସାଇଟ୍‌ରେ ୪୪ଟି ଜଳାଶୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ଯେଉଁଥିରେ ଜଳାଶୟର ନାମ, ୱାର୍ଡ ନମ୍ବର, ଜଳାଶୟର ରାଜସ୍ୱ ଗ୍ରାମ ବା ସ୍ଥାନ, ଖାତା ନମ୍ବର, ପ୍ଲଟ୍ ନମ୍ବର, କିସମ, ଏରିଆ, ମାଲିକାନା ଆଦି ଉଲ୍ଲେଖ ରହିଛି। କମିସନରଙ୍କ ନିର୍ଦ୍ଦେଶରେ ପ୍ରତି ଜଳାଶୟର ସରଜମିନ ତଦନ୍ତ କରାଯାଇଛି ଏବଂ ବିକାଶ ନିମନ୍ତେ ପ୍ରକ୍ରିୟା ଜାରି ରହିଛି ବୋଲି ବିଏମ୍‌ସି ଡେପୁଟି କମିସନର(ଲ୍ୟାଣ୍ଡ) କମଲ୍‌ଜିତ୍ ଦାସ ସୂଚନା ଦେଇଛନ୍ତି।

କେବଳ ସ୍ମାର୍ଟ ଜନପଥ ନୁହେଁ, ବରଂ ପୁରାତନ ଓ ନୂତନ ଜଳାଶୟର ବିକାଶ ସ୍ମାର୍ଟ ଚିନ୍ତାଧାରାର ମୂଲ୍ୟବୋଧକୁ ବଢ଼ାଇବ। ତେଣୁ କମିସନରଙ୍କ ନିର୍ଦ୍ଦେଶରେ ସମ୍ପ୍ରତି ଗୋଷ୍ଠୀ ସହଭାଗୀତାରେ ଐତିହ୍ୟ, ପରମ୍ପରା, ପରିବେଶ ଓ ସାମ୍ପ୍ରତିକ ପ୍ରଗତିକୁ ଆଗେଇ ନେବାର ଯୋଜନା ସ୍ଥିର ହୋଇଛି। ଗୋଷ୍ଠୀ ସହଭାଗିତାରେ ହେଉଥିବା କାର୍ଯ୍ୟରେ ସମନ୍ୱୟ ଘଟିବ ବୋଲି ବିଏମ୍‌ସି କର୍ତୃପକ୍ଷ ଆଶା ପୋଷଣ କରିଛନ୍ତି। ଏଥିପାଇଁ ନାଗରିକମାନେ ଆଗେଇ ଆସି ନିଜ ଅଞ୍ଚଳର ଜଳାଶୟର ଉନ୍ନତି ପାଇଁ ସହଯୋଗ କରନ୍ତୁ ଏବଂ କୌଣସି ଜଳାଶୟର ବିକାଶ ପାଇଁ ଉପଯୁକ୍ତ ସମାଧାନ ବାବଦରେ କର୍ତୃପକ୍ଷଙ୍କୁ ଜଣାଇବାକୁ ନିବେଦନ କରାଯାଇଛି। ଏଥିସହ କିପରି ଭାବେ ଗୋଷ୍ଠୀ ସହଯୋଗ ସମ୍ପୃକ୍ତ ଜଳାଶୟର ବିକାଶ ଆଣିପାରିବ ତାହା ଜଣାଇବାକୁ କୁହାଯାଇଛି। ଜଳାଶୟର ନବୀକରଣ, ରକ୍ଷଣାବେକ୍ଷଣରେ ଗୋଷ୍ଠୀର ପୂର୍ଣ୍ଣ ସହଯୋଗ ରହିଲେ ସହରର ସ୍ୱଚ୍ଛତା, ସୁସ୍ଥତା ବଜାୟ ରଖିବା ସହିତ ପରିବେଶର ଉନ୍ନତି ଆଣିପାରିବ। ପୁନରୁଦ୍ଧାର ହେବାକୁ ଥିବା ପ୍ରମୁଖ ଜଳାଶୟଗୁଡ଼ିକ ମଧ୍ୟରେ ପଟିଆର ନୀଳକଣ୍ଠ ପୋଖରୀ, ହରିଦାସପୁରର ମସ୍‌ଜିଦ୍‌ ପୋଖରୀ, ଗାଡ଼କଣ ପୋଖରୀ ଆଦି ରହିଛି।

ସମ୍ବନ୍ଧିତ ଖବର