ପେଟ୍ରୋଲ ପମ୍ପ ବନ୍ଦ କରିପାରିବେନି ଘରୋଇ କମ୍ପାନି, ‌ପେଟ୍ରୋଲିୟମ ମନ୍ତ୍ରାଳୟ ଲଗାଇଲା ଲଗାମ

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ବିକ୍ରିରେ କ୍ଷତି ସହୁଥିବା ଦର୍ଶାଇ ଘରୋଇ ପେଟ୍ରୋଲ ପମ୍ପଗୁଡ଼ିକ ବିକ୍ରି କମାଇ ଦେଇଛନ୍ତି। ଏହାର ଚାପ ସରକାରୀ ତେଲ କମ୍ପାନି ଗୁଡ଼ିକ ଉପରେ ପଡ଼ିଛି। ଘରୋଇ ତେଲ କମ୍ପାନିଙ୍କ ଏପ୍ରକାର ମନମାନିକୁ ରୋକିବା ପାଇଁ ପେଟ୍ରୋଲିୟମ ମନ୍ତ୍ରାଳୟ ୟୁଏସ୍‌ଓ ବା ସାର୍ବଜନୀନ ସେବା ଯୋଗାଣକୁ ବ୍ୟାପକ କରିଛି। ଦୁର୍ଗମ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ସମେତ ସବୁ ପେଟ୍ରୋଲ ପମ୍ପକୁ ୟୁଏସ୍‌ଓ ପରିସରକୁ ଅଣାଯାଇଛି। ଫଳରେ ଲାଇସେନ୍ସ ପ୍ରାପ୍ତ ସଂସ୍ଥାଗୁଡ଼ିକ ସେମାନଙ୍କ ସମସ୍ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ବିକ୍ରିକୁ ଜାରି ରଖିବେ। ପେଟ୍ରୋଲ ପମ୍ପଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲିବା ସହିତ ନିର୍ଦ୍ଦିଷ୍ଟ ମାତ୍ରାର ପେଟ୍ରୋଲ ଓ ଡିଜେଲ ମଧ୍ୟ ବିକ୍ରି କରିବାକୁ ବାଧ୍ୟ ହେବେ। ନିୟମ ପାଳନ କରିବାରେ ବିଫଳ ହେଲେ ସଂସ୍ଥା ଗୁଡ଼ିକ ଲାଇସେନ୍ସ ବାତିଲ କରାଯାଇ ପାରିବ।

ସରକାରୀ ତେଲ କମ୍ପାନିଗୁଡ଼ିକ ରିହାତି ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବାରୁ ଘରୋଇ କମ୍ପାନି ଗୁଡ଼ିକ ସେମାନଙ୍କ ସହ ପ୍ରତିଯୋଗିତା କରିପାରୁନାହାନ୍ତି। ଏହାଯୋଗୁ ସେମାନେ ବିକ୍ରିକୁ ସୀମିତ କରି ଦେଇଛନ୍ତି। ଘରୋଇ ପେଟ୍ରୋଲ ପମ୍ପଗୁଡ଼ିକରେ ପେଟ୍ରୋଲ, ଡିଜେଲ ନମିଳିବା କାରଣରୁ ଗ୍ରାହକମାନେ ସରକାରୀ ପେଟ୍ରୋଲ ପମ୍ପରେ ଭିଡ଼ ଲଗାଇଛନ୍ତି। ସରକାରୀ ପେଟ୍ରୋଲ ପମ୍ପଗୁଡ଼ିକରେ ଭିଡ଼ ହଠାତ୍ ବଢ଼ିଯିବାରୁ ଦେଶର ବିଭିନ୍ନ ରାଜ୍ୟର କେତେକ ସ୍ଥାନରେ ଗ୍ରାହକମାନେ ପେଟ୍ରୋଲ ଓ ଡିଜେଲ ଶୀଘ୍ର ସରି ଯାଇଥିଲା। ଫଳରେ ଗ୍ରାହକମାନେ ପେଟ୍ରୋଲ ଓ ଡିଜେଲ ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଜିଓ-ବିପି ଏବଂ ନାୟରା ଏନର୍ଜି ଭଳି କମ୍ପାନି କେତେକ ସ୍ଥାନରେ ଦର ବଢ଼ାଇଥିଲେ କିମ୍ବା ବିକ୍ରି ହ୍ରାସ କରିଥିଲେ। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ଯଦିଓ ଅଶୋଧିତ ତେଲ ଦର ବୃଦ୍ଧି ପାଇ ଏକ ଦଶନ୍ଧି ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ତଥାପି ସରକାରୀ ତେଲ କମ୍ପାନି ଗୁଡ଼ିକ ଗତ ଏପ୍ରିଲ ୬ ତାରିଖରୁ ପେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତନ କରିନାହାନ୍ତି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି।

ସମ୍ବନ୍ଧିତ ଖବର