ଇସ୍ରାଏଲ ଓ ଇରାନ ସମର୍ଥିତ ହିଜବୁଲ୍ଲା ମଧ୍ୟରେ ଘମାଘୋଟ ଲଢେଇ

ଜେରୁଜେଲମ: ଇରାନ ସମର୍ଥିତ ହିଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ପକ୍ଷରୁ ହିଜବୁଲ୍ଲାର ଅନେକ କମାଣ୍ଡରଙ୍କୁ ହତ୍ୟା କରାଯାଇଥିବାରୁ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ଘନ ଘନ ରକେଟ ମାଡ଼ କରାଯାଉଛି । ଇସ୍ରାଏଲ ପକ୍ଷରୁ ମଧ୍ୟ ତାହାର ଜବାବ ଦିଆଯାଉଛି ।

ଗତ କିଛି ଘଣ୍ଟା ମଧ୍ୟରେ ଲେବାନନରୁ ଉତ୍ତର ଇସ୍ରାଏଲର ଆରବ-ଅଲ-ଅରମାସେ ଅଞ୍ଚଳରେ ପ୍ରବେଶ କରୁଥିବା ଅନେକ ରକେଟ୍ କୁ ଇସ୍ରାଏଲ ସେନା ଠାବ କରି ନଷ୍ଟ କରିଛି। ଇସ୍ରାଏଲ ସେନା ଆଇଡିଏଫ ଏହି ରକେଟ୍ ଏବଂ କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିବା ଦାବି କରିଛି।

ଇସ୍ରାଏଲର ଆକ୍ରମଣରେ ହିଜବୁଲ୍ଲାର ଦୁଇ ଜଣ ଶୀର୍ଷ କମାଣ୍ଡର ନିହତ ହେବା ପରେ ହିଜବୁଲ୍ଲା ନିଜର ଆକ୍ରମଣକୁ ତୀବ୍ର କରିଛି। ଗତ କିଛି ଘଣ୍ଟା ମଧ୍ୟରେ ହିଜବୁଲ୍ଲା ଲେବାନନରୁ ଇସ୍ରାଏଲ ଉପରେ ଅନେକ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ଏବଂ ୟୁଏଭି ଜରିଆରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୬ ଜଣ ଯବାନ ଗୁରୁତର ଆହତ ହୋଇଥିବା ବେଳେ ୮ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଯବାନମାନେ ଚିକିତ୍ସିତ ହେଉଛନ୍ତି। ଇସ୍ରାଏଲ ସେନା କେଉଁ ସ୍ଥାନରୁ ଏହି ଆକ୍ରମଣ ହୋଇଥିଲା ତାହା ଚିହ୍ନଟ କରି ପ୍ରବଳ ଆକ୍ରମଣ କରିଥିଲା। କିଛି ଦିନ ତଳେ ଆଇଡିଏଫ ଲଢୁଆମାନେ ଦକ୍ଷିଣ ଲେବାନନର ନାକୁରା ଏବଂ ୟାରିନ ଅଞ୍ଚଳରେ ହିଜବୁଲ୍ଲାର ସାମରିକ କମ୍ପାଉଣ୍ଡ ଏବଂ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର