ଏଆଇଏଫ୍‌ଏଫ୍‌ ନିର୍ବାଚନ: ଭୂତିଆ ପୁଣି ପ୍ରାର୍ଥିପତ୍ର ଦାଖଲ କଲେ

ନୂଆଦିଲ୍ଲୀ: ଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌)ର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କିଂବଦନ୍ତି ଫୁଟ୍‌ବଲର୍‌ ବାଇଚୁଙ୍ଗ ଭୂତିଆ ପୁଣି ଥରେ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରଶାସନିକ ସମିତି (ସିଓଏ)କୁ ସୁପ୍ରିମକୋର୍ଟ ରଦ୍ଦ କରିଦେବା ପରେ ସଂଶୋଧିତ ସମ୍ବିଧାନ ଅନୁସାରେ ସେପ୍ଟେମ୍ବର ୨ ତାରିଖରେ ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି। ୪୫ ବର୍ଷୀୟ ଭୂତିଆଙ୍କ ପ୍ରାର୍ଥୀତ୍ବରେ ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ଫୁଟ୍‌ବଲ୍ ସଂଘ ପ୍ରସ୍ତାବକ ହୋଇଛନ୍ତି। ‘ମୁଁ ଏଆଇଏଫ୍‌ଏଫ୍‌ର ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛି ଏବଂ ଏହି ପଦ ପାଇଁ ମୁଁ ଉପଯୁକ୍ତ ପାର୍ଥୀ ବୋଲି ଅନୁଭବ କରୁଛି’ ବୋଲି ଭୂତିଆ ପ୍ରକାଶ କରିଛନ୍ତି। ଦେଶ ପାଇଁ ମୁଁ ବହୁ ମ୍ୟାଚ୍‌ ଖେଳିଛି ଏବଂ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟର ମିଶନ୍ ଅଲିମ୍ପିକ୍ସ ସେଲ୍‌ରେ ପ୍ରଶାସନିକ ଦାୟିତ୍ବ ବି ତୁଲାଉଛି। ଭାରତୀୟ ଫୁଟ୍‌ବଲ୍‌କୁ ନୂଆ ଶିଖରରେ ପହଞ୍ଚାଇବାକୁ ମୁଁ ଚାହେଁ’ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ।

ଅନ୍ୟତମ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ମଧ୍ୟ ସଭାପତି ଦୌଡ଼ରେ ରହିଛନ୍ତି। ଫୁଟ୍‌ବଲ୍ ଦିଲ୍ଲୀର ସଭାପତି ଶାଜି ପ୍ରଭାକରନ ମଧ୍ୟ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଭୂତିଆଙ୍କ ସମସାମୟିକ ପୂର୍ବତନ ଭାରତୀୟ ଗୋଲରକ୍ଷକ କଲ୍ୟାଣ‌ ଚୌବେ କିନ୍ତୁ ସଭାପତି ପଦ ଦୌଡ଼ରେ ଆଗୁଆ ଥିବା କୁହାଯାଉଛି। ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ୍ ପାଇଁ ଖେଳିଥିବା ଏହ‌ି ପୂର୍ବତନ ଫୁଟ୍‌ବଲର୍‌ ଏବେ ଶାସକ ବିଜେପି ଦଳର ସଦସ୍ୟ ଅଛନ୍ତି ଏବଂ ଗୁଜରାଟ ଓ ଅରୁଣାଚଳପ୍ରଦେଶ ଫୁଟ୍‌ବଲ୍ ସଂଘ ତାଙ୍କ ପ୍ରସ୍ତାବକ ହୋଇଛନ୍ତି। ସିକିମିଜ୍‌ ସ୍ନାଇପର ଭାବେ ପରିଚିତ ୪୫ ବର୍ଷୀୟ ଭୂତିଆ ପ୍ରଥମ ଭାରତୀୟ ଭାବେ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ ସମିତିରେ ୩୬ ରାଜ୍ୟ/ୟୁନିଟରୁ ୩୬ ଜଣ ପ୍ରତିନିଧି ରହିବେ।

ସମ୍ବନ୍ଧିତ ଖବର