ଓ୍ଵାଟର୍‌ ପ୍ୟୁରିଫାୟର୍‌ ଆଣିବ ଆମ୍‌େଓ୍ଵ

ଭୁବନେଶ୍ୱର: ଦେଶର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି ଏଫ୍‌ଏମ୍‌ସିଜି କଂପାନି ଆମ୍‌େଓ୍ଵ ଇଣ୍ଡିଆ ଖୁବ୍‌ଶୀଘ୍ର ବଜାରରେ ଏୟାର ପ୍ୟୁରିଫାୟର୍‌ ଓ ଓ୍ଵାଟର୍‌ ପ୍ୟୁରିଫାୟର ବିକ୍ରି କରିବାକୁ ଯାଉଛି। ଏ ବିଷୟରେ କଂପାନିର ସିଇଓ ଅଂଶୁ ବୁଦ୍ଧରାଜା ସୂଚନା ପ୍ରଦାନ କରିଛନ୍ତି। ଏହା ବ୍ୟତୀତ କଂପାନି ଡ୍ୟୁରେବଲ୍‌ ବର୍ଗରେ ପ୍ରବେଶ କରିବାକୁ ଯୋଜନା ରଖିଛି। ହର୍ବାଲ୍‌ ବିଉଟି ଓ ପର୍ସନାଲ୍‌ କେୟାର ଉତ୍ପାଦ ମଧ୍ୟ ଆଣିବାକୁ ଚାହୁଁଛି। ଅଂଶୁ କହିଲେ, ଭାରତରେ ଆମେ କାରବାରର ୨୦ ବର୍ଷ ପୂରଣ କରିଛୁ। ଆମେ ଏଠାରେ ଏବେ ୨୦୦୦ କୋଟି ଟଙ୍କାର କାରବାର କରୁଛୁ। ୨୦୨୫ ସୁଦ୍ଧା କଂପାନିର ଆୟକୁ ତିନି ଗୁଣା ବଢ଼ାଇ ୬୦୦୦ କୋଟି ଟଙ୍କା କରିବାକୁ ଯୋଜନା ରଖାଯାଇଛି। କଂପାନିର ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ନୂଆ ଉତ୍ପାଦ ଯଥା ଓ୍ଵାଟର୍‌ ଓ ଏୟାର ପ୍ୟୁରିଫାୟର୍‌ ସହାୟକ ହେବ ବୋଲି ସେ କହିଛନ୍ତି। ଚୀନ୍‌, କୋରିଆ, ଆମେରିକା, ଜାପାନ, ଥାଇଲାଣ୍ଡ୍‌ ଓ ତାଇଓ୍ଵାନ୍‌ ପରେ ଆମ୍‌େଓ୍ଵ ପାଇଁ ସପ୍ତମ ବଡ଼ ବଜାର ହେଉଛି ଭାରତ। ୨୦୨୫ ସୁଦ୍ଧା ଭାରତକୁ ତୃତୀୟ ବଡ଼ ବଜାରରେ ପରିଣତ କରିବାକୁ କଂପାନି ଯୋଜନା ରଖିଛି। ତାମିଲନାଡୁ ଡିଣ୍ଡିଗୁଲ୍‌ ଜିଲ୍ଲାର ନୀଳକୋଟାଇଠାରେ ୬୧୦ କୋଟି ଟଙ୍କା ବିନିଯୋଗରେ ଆମ୍‌େଓ୍ଵ ଏହାର କାରଖାନା ସ୍ଥାପନ କରିଛି। ସେଠାରେ କଂପାନିର ବିଉଟିକେୟାର, ପର୍ସନାଲ୍‌ କେୟାର ଉତ୍ପାଦଗୁଡ଼ିକୁ ଉତ୍ପାଦନ କରାଯାଉଛି। ଆମ୍‌େଓ୍ଵ ଆସନ୍ତା ତିନି ବର୍ଷ ଭିତରେ ଆର୍‌ଆଣ୍ଡ୍‌ଡି, ଉତ୍ପାଦନ ଓ ଡିଜିଟାଲ୍‌ ଅଭିଯାନରେ ୧୦୦ କୋଟି ଟଙ୍କା ବିନିଯୋଗ କରିବ। ଏଥି ସହିତ ଆଉ ୨୫ଟି ଆମ୍‌େଓ୍ଵ ଏକ୍ସପ୍ରେସ୍‌ ପିକ୍‌-ଅପ୍‌ ଆଣ୍ଡ ପେ ଷ୍ଟୋର୍‌ ଖୋଲିବ।

ସମ୍ବନ୍ଧିତ ଖବର