ଶିଳ୍ପ ଜଗତ ମାଗିଲା ଲକ୍ଷେ କୋଟି ପ୍ୟାକେଜ, ମାନ୍ଦାବସ୍ଥା ମୁକାବିଲା

ନୂଆଦିଲ୍ଲୀ: ଦେଶରେ ଗାଡ଼ି ବଜାର, ଇସ୍ପାତ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନବିଏଫ୍‌ସି) କ୍ଷେତ୍ର ଘୋର ସଙ୍କଟ ଦେଇ ଗତି କରୁଛି। ତେଲ, ସାବୁନ ବିକ୍ରି ମଧ୍ୟ କମିଗଲାଣି। ମାନ୍ଦାବସ୍ଥା କବଳରେ ପଡ଼ିଯାଇଛି ଅର୍ଥନୀତି। ଏହି ସମସ୍ୟାର ମୁକାବିଲା କରିବା ଲାଗି ଲକ୍ଷେ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଶିଳ୍ପ ଜଗତ ଦାବି କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡାକିଥିବା ବୈଠକରେ ଶିଳ୍ପ ସଂଘର ପ୍ରତିନିଧିମାନେ ଏହି ଦାବି ଜଣାଇଛନ୍ତି। ବୈଠକରେ ଆସୋଚାମ୍‌ର ସଭାପତି ବି କେ ଗୋଏଙ୍କା କହିଛନ୍ତି ଯେ, ଉଭୟ ବିଶ୍ବ ଓ ଭାରତର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି। ଏହାର ମୁକାବିଲା ଲାଗି ଶୀଘ୍ର ଠୋସ୍‌ ପଦକ୍ଷେପ ନେବାକୁ ପଡ଼ିବ। ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବାକୁ ହେବ। ନିର୍ମଳାଙ୍କ ସହ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିମାନେ ଦୀର୍ଘ ତିନି ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅର୍ଥନୀତିର ଗତିକୁ ତ୍ବରାନ୍ବିତ କରିବା ଲାଗି ଶୀଘ୍ର ପଦକ୍ଷେପ ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଶିଳ୍ପ ସଂସ୍ଥାଗୁଡ଼ିକୁ ଋଣ ଦେବାକୁ ବ୍ୟାଙ୍କ ଅମଙ୍ଗ ହେଉଥିବା ବିଷୟରେ ଶିଳ୍ପ ଜଗତର ପ୍ରତିନିଧିମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନ୍‌ବିଏଫ୍‌ସି କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ଯୋଗୁ ଗାଡ଼ି, ଗୃହ ଋଣ ଓ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରଭାବିତ ହୋଇଛି ବୋଲି ସେମାନେ ଅର୍ଥମନ୍ତ୍ରୀଙ୍କୁ କହିଛନ୍ତି। ସିଏସ୍‌ଆର୍‌ କାର୍ଯ୍ୟ ଠିକ୍ ଭାବେ କରିନଥିବା ସଂସ୍ଥାଗୁଡ଼ିକୁ ଦଣ୍ଡିତ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ପ କରିଦେଇଛନ୍ତି।

ସମ୍ବନ୍ଧିତ ଖବର