ଗଡ଼ୁନି ୬୫% ଟ୍ରକ୍: ଡିଜେଲ ଦାମ୍ ବାଧୁଛି, ସରକାର ବି କୌଣସି ସହାୟତା ଦେଉନାହାନ୍ତି

ରାଜ୍ୟ ସୀମାରେ ‌ବ୍ୟାପକ ଶୋଷଣ, ପୁଲିସ, ଆର୍‌ଟିଓ, ଜିଏସ୍‌ଟି ଅଧିକାରୀ ହଇରାଣ କରୁଛନ୍ତି

ନୂଆଦିଲ୍ଲୀ: ଲକ୍‌ଡାଉନ୍ ପ୍ରଭାବରେ ପରିବହନ କ୍ଷେତ୍ର ଗୁରୁତର ସଙ୍କଟ ଦେଇ ଗତି କରୁଛି। ଦେଶର ପ୍ରାୟ ୬୫% ଟ୍ରକ୍‌ର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଲକ୍‌ଡାଉନ୍ ପରଠାରୁ ଏହି କ୍ଷେତ୍ର ପାଇଁ ସ୍ଥିତି ଜଟିଳ ହୋଇପଡ଼ିଥିଲା। ଗତ ୧୫ ଦିନ ଭିତରେ ଡିଜେଲ୍ ଦାମ୍‌ରେ ହୋଇଥିବା ବୃଦ୍ଧି ଟ୍ରକ୍ ମାଲିକମାନଙ୍କ ଚିନ୍ତା ଆହୁରି ବଢ଼ାଇଦେଇଛି। ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ କୁହାଯାଇଛି ଯେ, ତେଲ ଦାମ୍‌ରେ ହୋଇଥିବା ବୃଦ୍ଧି ଓ ବିଭିନ୍ନ ରାଜ୍ୟର ସୀମାରେ ହେଉଥିବା ବ୍ୟାପକ ଦୁର୍ନୀତି ଟ୍ରକ୍ ପରିବହନ କ୍ଷେତ୍ରକୁ ଗୁରୁତର ପ୍ରଭାବିତ କରିଛି। ସରକାର ଯଦି ସହାୟତା ନଦେବେ ତେବେ ପରିବହନ ସେବା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ସଂଘ ଅଧୀନରେ ୯୫ ଲକ୍ଷରୁ ଅଧିକ ଟ୍ରକ୍ ପରିବହନକାରୀ ଓ ଅନ୍ୟାନ୍ୟ ସଂସ୍ଥା ରହିଛନ୍ତି। ଗତ ୧୫ ଦିନ ଭିତରେ ଡିଜେଲ୍ ଦାମ୍‌ରେ ଲିଟର ପିଛା ୭ ଟଙ୍କା ୯୭ ପଇସାର ବୃଦ୍ଧି ହୋଇସାରିଲାଣି। କେତେକ ରାଜ୍ୟରେ ଏହି ଦରବୃଦ୍ଧି ଆଉ କିଛି ପଇସା ଅଧିକ ମଧ୍ୟ ରହିଛି। ଟ୍ରକ୍ ଚଳାଚଳରେ ହେଉଥିବା ମୋଟ୍‌ ଖର୍ଚ୍ଚର ୮୦ ପ୍ରତିଶତ କେବଳ ତେଲ କିଣିବା ଓ ଟୋଲ୍ ଶୁଳ୍କ ଦେବାରେ ବ୍ୟବହାର ହୁଏ।

ଏକ ଟ୍ରକ୍ ଚାଲିବା ଲାଗି ହେଉଥିବା ଖର୍ଚ୍ଚର ୬୦ ପ୍ରତିଶତ ଅର୍ଥରେ ଡିଜେଲ୍ କିଣାହୁଏ। ସେହିପରି ୨୦ ପ୍ରତିଶତ ଅର୍ଥ ଟୋଲ୍‌ ଶୁଳ୍କ ବାବଦରେ ଗଣିବାକୁ ପଡ଼େ। ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ କଟକଣା ରହିଥିବାରୁ ଟ୍ରକ୍‌ରେ ପରିବହନ ଚାହିଦା ନିମ୍ନ ସ୍ତରରେ ରହିଛି। ଏବେ ତେଲ ଦର ବହୁତ ବଢ଼ିଯାଇଥିବାରୁ ବାଧ୍ୟ ହୋଇ ଅନେକ ମାଲିକ ନିଜ ଟ୍ରକ୍‌ ଠିଆ କରାଇଛନ୍ତି। ବର୍ତ୍ତମାନ ୬୫ ପ୍ରତିଶତ ଟ୍ରକ୍ ଠିଆ ହୋଇଛି ବୋଲି ଏଆଇଏମ୍‌ଟିସିର ସଭାପତି କୁଲ୍‌ତରଣ ସିଂହ ଅଟ୍‌ୱାଲ୍ କହିଛନ୍ତି। ଲକ୍‌ଡାଉନ୍ ପରେ ବିଭିନ୍ନ କ୍ଷେତ୍ର ଲାଗି ରିଲିଫ୍ ସହାୟତା ଘୋଷଣା କରାଯାଇଛି। କିନ୍ତୁ ପରିବହନ କ୍ଷେତ୍ର ଲାଗି କୌଣସି ନିର୍ଦିଷ୍ଟ ସହାୟତା ଦିଆଯାଇନାହିଁ। ଏହି କ୍ଷେତ୍ର ପୁଣି ଥରେ ଠିଆ ହେବାକୁ ପ୍ରୟାସ କରୁଥିଲେ ମଧ୍ୟ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଉନାହିଁ। ରାଜ୍ୟଗୁଡ଼ିକରେ ବ୍ୟାପକ ଶୋଷଣ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ସତ୍ତ୍ବେ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ। ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହରିଆନା, ରାଜସ୍ଥାନ ଓ ଦିଲ୍ଲୀ ଭଳି ରାଜ୍ୟରେ ଆର୍‌ଟିଓ ଓ ପୁଲିସ ଦ୍ବାରା ଟ୍ରକ୍‌ ଚାଳକଙ୍କୁ ଶୋଷଣ କରାଯାଉଛି। ଏହା ଅସହ୍ୟ ହେଲାଣି ବୋଲି ଏଆଇଏମ୍‌ଟିସି ପକ୍ଷରୁ କୁହାଯାଇଛି। ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ଟ୍ରକ୍‌ଗୁଡ଼ିକୁ ମଧ୍ୟ ଜିଏସ୍‌ଟି ଅଧିକାରୀମାନେ ହଇରାଣ କରୁଛନ୍ତି। ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସୀମାରେ ଟ୍ରକ୍ ଚାଳକଙ୍କୁ ହଇରାଣ କରାଯାଉଛି। ପ୍ରତି ଗାଡ଼ି ପିଛା ଆର୍‌ଟିଓ ତରଫରୁ ମୂତୟନ କରାଯାଇଥିବା ସ୍ଥାନୀୟ ଗୁଣ୍ଡାମାନଙ୍କ ଦ୍ବାରା ୧୨୦୦-୩୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ଯେଉଁମାନେ ଟଙ୍କା ଦେବାକୁ ଅମଙ୍ଗ ହେଉଛନ୍ତି ସେମାନଙ୍କୁ ଦୀର୍ଘ ସମୟ ଅଟକ ରଖାଯାଉଛି ଏବଂ ପ୍ରତିଶୋଧ ପରାୟଣ ହୋଇ ସେମାନଙ୍କ ଉପରେ ଜରିମାନା ଲଗାଯାଉଛି। ଟ୍ରକ୍ କିଣିଥିବା ଅନେକ ଗ୍ରାହକ ମାସିକ କିସ୍ତି ଦେଇପାରୁନାହାନ୍ତି। ଗାଡ଼ି ଜବତ କରିବା ଲାଗି ବ୍ୟାଙ୍କ ଅଧିକାରୀମାନେ ଧମକ ଦେଉଛନ୍ତି। ଟ୍ରକ୍ ମାଲିକଙ୍କ ଉପରେ ବିଭିନ୍ନ ଆଡ଼ୁ ଚାପ ରହିଛି ବୋଲି ଏଆଇଏମ୍‌ଟିସିର ସାଧାରଣ ସମ୍ପାଦକ ନବୀନ ଗୁପ୍ତା କହିଛନ୍ତି।

ସମ୍ବନ୍ଧିତ ଖବର