ସାଧୁ ସନ୍ଥଙ୍କୁ ସମ୍ମାନ ଏମିତି! ଅନ୍ଧାରରେ ପଡ଼ିଛନ୍ତି କୁମ୍ଭମେଳାର ଅତିଥି, ଜଳ ପାଇଁ ଡହଳବିକଳ

ଖଣ୍ଡଗିରି : ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହୋଇଯାଇଛି। ନାଗା ସାଧୁଙ୍କ ସହିତ ଓଡ଼ିଶାର ବିଭିନ୍ନ କୋଣ ଅନୁ କୋଣରୁ ସାଧୁସନ୍ଥମାନେ ଜପତପ ପାଇଁ ଖଣ୍ଡଗିରି ପାହାଡ଼ରେ ଆସ୍ଥାନ ଜମାଇଛନ୍ତି। ମାତ୍ର ପରିତାପର କଥା ହେଲା, ଚଳିତ ବର୍ଷ ସେମାନଙ୍କୁ ଏହି ପାହାଡ଼ରେ ଅନ୍ଧାରରେ ରହିବାକୁ ପଡ଼ୁଛି। ନା ସେମାନଙ୍କ ପାଇଁ ଆଲୋକ ବ୍ୟବସ୍ଥା କରାଯାଇଛି, ନା ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଫଳରେ ମୌଳିକ ସୁବିଧା ନ ପାଇ ସାଧୁସନ୍ଥମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାଧୁମାନେ ସ୍ନାନଶୌଚ ପାଇଁ ଓ ରାତିରେ ରହିବା ପାଇଁ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି। ବିଏମ୍‌ସିର ଏହି ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ପୂର୍ବରୁ ଏହି ମେଳାରୁ ବିଏମ୍‌ସି ଟିକସ ବାବଦରେ ପ୍ରଚୁର ଅର୍ଥ ପାଉଥିଲା। ମାତ୍ର କରୋନା ପାଇଁ ଏଥର କଟକଣା ଲାଗୁ ହେବାରୁ ମେଳାରେ ଦୋକାନ ବଜାର ପଡ଼ିନାହିଁ କି ଅପେରା ପାର୍ଟି ନାହିଁ। ତେଣୁ ବିଏମ୍‌ସି ଏଥର ଏହି ମେଳାରୁ ଟଙ୍କାଟିଏ ପାଇବାର ନାହିଁ। ସମ୍ଭବତଃ ସେଥିଲାଗି ଚଳିତ ବର୍ଷ ବିଏମ୍‌ସି ପକ୍ଷରୁ ଖଣ୍ଡଗିରି ମେଳାକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହେଉଛି। ପୂର୍ବରୁ ମେଳାରେ ବିଏମ୍‌ସି ପକ୍ଷରୁ ସ୍ବଚ୍ଛତା, ପରିମଳଠୁ ଆରମ୍ଭ କରି ସାଧୁ ସନ୍ନ୍ୟାସୀଙ୍କ ରହଣି ନିମନ୍ତେ ଆଲୋକୀକରଣ, ପାନୀୟ ଜଳ ବ୍ୟବସ୍ଥା ଓ ନିତ୍ୟକର୍ମ ବ୍ୟବସ୍ଥା କରାଯାଉଥିଲା। ମାତ୍ର ଏଥର ସାଧୁଙ୍କ ପାଇଁ ବିଏମ୍‌ସି ପକ୍ଷରୁ କୌଣସି ମୌଳିକ ସୁବିଧା ଯୋଗାଇବା ବ୍ୟବସ୍ଥା କରାଯାଇନାହିଁ। ଦେଶର ବିଭିନ୍ନ ପ୍ରାନ୍ତରୁ ବିଶ୍ବଶାନ୍ତି ଯଜ୍ଞ କରିବାକୁ ଆସିଥିବା ଏହି ସାଧୁମାନେ ଧୂନି ଓ ଯଜ୍ଞ କରିବା ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତ। ଅନେକ ନାଗାସାଧୁ ପ୍ରାୟ ୪ ଦିନ ହେବ ଏଠାକୁ ଆସିଥିଲେ ହେଁ ଅନ୍ଧାରରେ ରାତ୍ରି ଯାପନ କରୁଛନ୍ତି। ବିଏମ୍‌ସିକୁ ନିବେଦନ କଲେ ମଧ୍ୟ କୌଣସି ବ୍ୟବସ୍ଥା ହେଉନଥିବା ନାଗାସାଧୁମାନେ କହିଛନ୍ତି। ଏ ନେଇ ବିଏମ୍‌ସି ଦକ୍ଷିଣ ପଶ୍ଚିମ ଜୋନାଲ୍ କମିସନରଙ୍କୁ ପଚାରିବାରୁ ସେ ବିଏମ୍‌ସିର ମୁଖ୍ୟାଳୟକୁ ଅଭିଯୋଗ କରିବାକୁ କହି ନିଜ ମୁଣ୍ଡରୁ ଦାୟିତ୍ବ ଖସାଇଛନ୍ତି। ମୁଖ୍ୟାଳୟରେ ପରିମଳ ବିଭାଗ ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଉନାହାନ୍ତି। ତେଣୁ ପ୍ରଶ୍ନ ଉଠୁଛି ଚଳିତ ବର୍ଷ ଏହି ମେଳାକୁ ବିଏମ‌୍‌ସି ପକ୍ଷରୁ ଅଣଦେଖା କାହିଁକି କରାଯାଉଛି। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରାକୁ ଭାଙ୍ଗିବା ପାଇଁ ବିଏମ୍‌ସି ଷଡ୍‌ଯନ୍ତ୍ର କରୁଛି ବୋଲି ସାଧୁମାନେ ଅଭିଯୋଗ କରିଛନ୍ତି।

ପରମ୍ପରା ଅନୁସାରେ ଆଜିଠାରୁ ମେଳା ଆରମ୍ଭ ହେଉଥିବା ନେଇ ଖବର ଥିଲେ ମଧ୍ୟ ପ୍ରଶାସନଠାରୁ ଆରମ୍ଭ କରି ପ୍ରତ୍ନତତ୍ତ୍ବ ବିଭାଗ ସମସ୍ତେ କୌଣସି ତତ୍ପରତା ପ୍ରଦର୍ଶନ କରିନଥିଲେ। ଗତକାଲି ସନ୍ଧ୍ୟାରେ ଖଣ୍ଡଗିରି ପାହାଡ଼ ପ୍ରବେଶ ପଥରେ ଥିବା ଗେଟ୍‌ରେ ତାଲା ପକାଇ ଦିଆଯାଇଥିଲା। ଫଳରେ ନାମ ଯଜ୍ଞ କରିବାକୁ ଆସିଥିବା ନାଗାସାଧୁମାନେ ତପ ସାଧନା କରିବେ କଣ, କୋଉଠି ମୁଣ୍ଡ ଗୁଂଜିବେ ବୋଲି ଜାଗା ଖୋଜି ଖୋଜି ନୟାନ୍ତ ହୋଇଥିଲେ। ସେହିଭଳି ଖଣ୍ଡଗିରି ପାହାଡ଼ ପାଦଦେଶରେ ଥିବା ଶୌଚାଳୟରେ ମଧ୍ୟ ତାଲା ଲାଗିଛି। ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ନିର୍ମିତ ଏହି ଶୌଚାଳୟ ବିଶେଷକରି କୁମ୍ଭମେଳାରେ ସାଧୁସନ୍ଥଙ୍କ ପାଇଁ ତିଆରି ହୋଇଥିଲା। ହେଲେ ତାହା ଆଜି ବି ବନ୍ଦ ଥିଲା। ମୟୂରଭଞ୍ଜ ସାତକୋଶିଆରୁ ଆସିଥିବା ସ୍ବାମୀ ଅଗ୍ନିହୋତ୍ରୀ ବାବା କହିଛନ୍ତି ଯେ ପ୍ରତିବର୍ଷ କୁମ୍ଭମେଳା ବେଳକୁ ଏହି ଶୌଚାଳୟ ବନ୍ଦ ରୁହେ। ବାରମ୍ବାର ଅଭିଯୋଗ କରିବା ପରେ ଯାଇ ପ୍ରତ୍ନତତ୍ତ୍ବ ବିଭାଗର ନିଦ ଭାଙ୍ଗେ। ଏଥର ମଧ୍ୟ ସମାନ ଅବସ୍ଥା। ଦୀର୍ଘ ଦିନ ଧରି ଏହା ବ୍ୟବହାର ହୋଇନଥିବାରୁ ଏବେ ବ୍ୟବହାର ଅନୁପଯୋଗୀ ହୋଇଥିବା ସାଧାରଣ କଥା। ତେଣୁ ପ୍ରତ୍ନତତ୍ତ୍ବ ବିଭାଗ ତୁରନ୍ତ ଏହାକୁ ଖୋଲିବା ସହିତ ଶୌଚାଳୟରେ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସାଧୁମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର