ଋଣ ଫେରିବା ସମ୍ଭାବନା କ୍ଷୀଣ; ଏୟାରସେଲ୍, ଆର୍‌କମ୍‌ରେ ଫସିଛି ୬୦ ହଜାର କୋଟି

ନୂଆଦିଲ୍ଲୀ: ମୁକେଶ ଅମ୍ବାନିଙ୍କ ଟେଲିକମ୍ କଂପାନି ରିଲାଏନ୍ସ ଜିଓର ଆଗମନ ପରେ ଯେଉଁ କିଛି ପୁରୁଣା ଟେଲିକମ୍ କଂପାନିକୁ କାରବାର ବନ୍ଦ କରିବାକୁ ପଡ଼ିଥିଲା ସେଥି ମଧ୍ୟରୁ ଦୁଇଟି ବଡ଼ କଂପାନି ହେଉଛି ଏୟାରସେଲ୍ ଓ ରିଲାଏନ୍ସ କମ୍ୟୁନିକେସନ (ଆର୍‌କମ୍)। ଏହି ଦୁଇ କଂପାନି ଦେଶ ଓ ବିଦେଶର ବିଭିନ୍ନ ବ୍ୟାଙ୍କରୁ ୬୦ ହଜାର କୋଟି ଟଙ୍କା ଋଣ ନେଇଛନ୍ତି। ବ୍ୟାଙ୍କଗୁଡ଼ିକ ପାଇଁ ସେହି ରାଶି ‌ଫେରିବାର ସମ୍ଭାବନା ଦିନକୁ ଦିନ ମଉଳିବାରେ ଲାଗିଛି। ଋଣ ରାଶି ଫେରି ପାଇବା ଲାଗି ଦୁଇ ସଂସ୍ଥାକୁ ବ୍ୟାଙ୍କଗୁଡ଼ିକ ‌ଇନ୍‌ସଲ୍‌ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି) ଅଧୀନରେ ଦେବାଳିଆ ଘୋଷଣା କରିବାକୁ ଆବେଦନ କରିଛନ୍ତି।

ଏୟାରସେଲ୍‌ ଉପରେ ବ୍ୟାଙ୍କଗୁଡ଼ିକର ୧୮ ହଜାର କୋଟି ଟଙ୍କା ବାକି ଅଛି। ଏହି ସଂସ୍ଥାକୁ ବିକ୍ରି କରିବା ଲାଗି ଉଦ୍ୟମ ହୋଇଥିଲା। ୟୁଭି ଆସେଟ୍‌ ରିକନଷ୍ଟ୍ରକ୍ସନ କଂପାନି ନାମକ ଏକ ସଂସ୍ଥାର ବିଡ୍‌କୁ ୨୦୨୦ ଜୁନ୍‌ରେ ମଞ୍ଜୁର ମଧ୍ୟ କରାଯାଇଥିଲା। କିନ୍ତୁ ସେହି ଯୋଜନା କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ଜଣାପଡ଼ିଛି। ଏହା ହେଲେ ଏୟାରସେଲ୍‌ର ବ୍ୟବସାୟକୁ ଆଇନଗତ ଦୃଷ୍ଟିରୁ ସବୁଦିନ ପାଇଁ ବନ୍ଦ କରାଯିବ। ଯଦି ତାହା ହେବ ତେବେ ବ୍ୟାଙ୍କଗୁଡ଼ିକ ନିଜ ଟଙ୍କା ଫେରିପାଇବେ ନାହିଁ। ଏୟାରସେଲ୍‌ ବନ୍ଦ ହେଲେ ଷ୍ଟେଟ୍‌ ବ୍ୟାଙ୍କ ୫୦୦୦ କୋଟି ଟଙ୍କା ହରାଇବ। ଏହା ବ୍ୟତୀତ ବ୍ୟାଙ୍କ ଅଫ୍‌ ବରୋଦା, କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଓ ଚୀନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ ମଧ୍ୟ ଦେଇଥିବା ଋଣ ରାଶି ହରାଇବେ। ସେହିପରି, ଅନିଲ ଅମ୍ବାନିଙ୍କ ଟେଲିକମ୍ କଂପାନି ଆର୍‌କମ୍ ଉପରେ ବ୍ୟାଙ୍କଗୁଡ଼ିକର ୪୦ ହଜାର କୋଟି ଟଙ୍କା ବାକି ଅଛି। ଦେଶ ଓ ବିଦେଶର ୩୮ଟି ବ୍ୟାଙ୍କ ଠାରୁ କଂପାନି ଋଣ ଆଣିଥିଲା। ଆର୍‌କମ୍ ସବୁଦିନ ପାଇଁ ବନ୍ଦ ହୋଇଗଲେ ଚୀନ୍ ଡେଭେଲପ୍‌ମେଣ୍ଟ୍ ବ୍ୟାଙ୍କ ୯୦୦୦ କୋଟି ଟଙ୍କା, ଷ୍ଟେଟ୍‌ ବ୍ୟାଙ୍କ ୩୦୦୦ କୋଟି ଟଙ୍କା ଓ ଏଲ୍‌ଆଇସି ୩୭୦୦ କୋଟି ଟଙ୍କା ହରାଇବ।

ସମ୍ବନ୍ଧିତ ଖବର