ଏନ୍‌ପିଏରେ ୬୧ ହଜାର କୋଟି ହ୍ରାସ

ନୂଆଦିଲ୍ଲୀ: ବ୍ୟାଙ୍କରେ ଅସୁଲ ହୋଇପାରୁନଥିବା ଋଣ ବା ଏନ୍‌ପିଏରେ ୬୧,୧୮୦ କୋଟି ଟଙ୍କାର ହ୍ରାସ ଘଟିଛି। ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ୍‌ ଏନ୍‌ପିଏ ୮ ଲକ୍ଷ ୩୪ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି ବୋଲି ସଂସଦରେ ଆଜି ‌ଅର୍ଥ ରାଷ୍ଟ୍ରମନ୍ତ୍ରୀ ‌ଭାଗବତ କେ କରାଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୦ ମାର୍ଚ୍ଚ ସୁଦ୍ଧା‌ ଏନ୍‌ପିଏ ୮ ଲକ୍ଷ ୯୬ ହଜାର କୋଟି ଟଙ୍କା ଥିଲା। ଏନ୍‌ପିଏ ଖାତାଗୁଡ଼ିକୁ ଚିହ୍ନଟ କରିବା ପ୍ରକ୍ରିୟାକୁ ପାରଦର୍ଶୀ କରାଯିବା ସହ ସେଗୁଡ଼ିକର ଫଇସଲା ଲାଗି ପଦକ୍ଷେପ ଗ୍ରହଣ କରାଯିବାରୁ ଏନ୍‌ପିଏ ରାଶି ହ୍ରାସ ପାଇଛି। ୨୦୧୫ ମାର୍ଚ୍ଚ ସୁଦ୍ଧ‌ା‌ ଏନ୍‌ପିଏ ରାଶି ପରିମାଣ ୩ ଲକ୍ଷ ୨୩ ହଜାର କୋଟି ଟଙ୍କା ଥିଲା। ଏହାର ପରବର୍ତ୍ତୀ ତିନି ବର୍ଷରେ ସେଥିରେ ପ୍ରାୟ ତିନି ଗୁଣା ବୃଦ୍ଧି ଘଟିଥିଲା। ୨୦୧୮ ମାର୍ଚ୍ଚ ସୁଦ୍ଧା ଏନ୍‌ପିଏ ବେଲଗାମ ହୋଇ ୧୦ ଲକ୍ଷ ୩୬ ହଜାର କୋଟି ଟଙ୍କାରେ ପହଞ୍ଚିଯାଇଥିଲା। ଏହା ଉଭୟ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା। ମୋଟା ଅଙ୍କର ଏନ୍‌ପିଏ ସରକାରୀ ବ୍ୟାଙ୍କଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିଲା। ଏହି ସମସ୍ୟାର ମୁକାବିଲା କରିବା ଲାଗି ସରକାର ସ୍ବତନ୍ତ୍ର ରଣନୀତି ନେଇ କାର୍ଯ୍ୟ କରିଥିଲେ। ଏନ୍‌ପିଏ ଖାତାକୁ ଚିହ୍ନଟ କରିବା, ତାହାର ଫଇସଲା କରିବା, ବ୍ୟାଙ୍କଗୁଡ଼ିକୁ ନୂଆ ପାଣ୍ଠି ପ୍ରଦାନ କରିବା ଏବଂ ସଂସ୍କାର ଭଳି ପଦକ୍ଷେପ ଜରିଆରେ ସରକାରୀ ବ୍ୟାଙ୍କଗୁଡ଼ିକର ସ୍ଥିତିରେ ସୁଧାର ଅଣାଯାଇଥିଲା। ୨୦୧୯ ମାର୍ଚ୍ଚ ସୁଦ୍ଧା ଏନ୍‌ପିଏ ପରିମାଣ ୯ ଲକ୍ଷ ୩୩ ହଜାର କୋଟି ଟଙ୍କାକୁ ହ୍ରାସ ପାଇବା ପରେ ୨୦୨୦ ମାର୍ଚ୍ଚ ସୁଦ୍ଧା ତାହା ୮ ଲକ୍ଷ ୯୬ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଖସିଥିଲା। ୨୦୨୧ ମାର୍ଚ୍ଚ ସୁଦ୍ଧା ଏନ୍‌ପିଏ ରାଶି ୮ ଲକ୍ଷ ୩୪ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି ବୋଲି ଶ୍ରୀ କରାଡ଼ କହିଛନ୍ତି।

ଇତି ମଧ୍ୟରେ ନିଟ୍‌ ଏନ୍‌ପିଏରେ ମଧ୍ୟ ହ୍ରାସ ଘଟିଛି। ୨୦୧୪ରେ ନିଟ୍ ଏନ୍‌ପିଏ ୧ ଲକ୍ଷ ୨୪ ହଜାର କୋଟି ଟଙ୍କା ଥିଲା। ୨୦୧୫ରେ ତାହା ୨ ଲକ୍ଷ ୧୪ ହଜାର କୋଟି ଟଙ୍କା, ୨୦୧୬ରେ ୩ ଲକ୍ଷ ୨୪ ହଜାର କୋଟି ଟଙ୍କା, ୨୦୧୭ରେ ୩ ଲକ୍ଷ ୮୨ ହଜାର କୋଟି ଟଙ୍କା ଓ ୨୦୧୮ରେ ୪ ଲକ୍ଷ ୫୪ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏହା ପରେ ସେଥିରେ ହ୍ରାସର ଧାରା ଆରମ୍ଭ ହୋଇଥିଲା। ୨୦୧୯ ମାର୍ଚ୍ଚ ସୁଦ୍ଧା ନିଟ୍ ଏନ୍‌ପିଏ ୨ ଲକ୍ଷ ୮୨ ହଜାର କୋଟି ଟଙ୍କାକୁ ହ୍ରାସ ପାଇବା ପରେ ୨୦୨୦ରେ ୨ ଲକ୍ଷ ୩୧ ହଜାର କୋଟି ଟଙ୍କା ଓ ୨୦୨୧ ମାର୍ଚ୍ଚ ସୁଦ୍ଧା ୧ ଲକ୍ଷ ୯୭ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି। ବିଗତ ଛଅ ବର୍ଷରେ ସରକାରୀ ବ୍ୟାଙ୍କଗୁଡ଼ିକ ୫,୦୧,୪୭୯ କୋଟି ଟଙ୍କାର ଏନ୍‌ପିଏ ରାଶି ଅସୁଲ କରିବାରେ ସଫଳ ହୋଇଛନ୍ତି ବୋଲି ଶ୍ରୀ କରାଡ଼ କହିଛନ୍ତି।

ଏନ୍‌ପିଏ ମୁକାବିଲା ଲାଗି ବ୍ୟାଙ୍କଗୁଡ଼ିକ ୨୦୧୫-୧୬ରେ ୧ ଲକ୍ଷ ୫୫ ହଜାର କୋଟି ଟଙ୍କା, ୨୦୧୬-୧୭ରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା, ୨୦୧୭-୧୮ରେ ୨ ଲକ୍ଷ ୪୦ ହଜାର କୋଟି ଟଙ୍କା, ୨୦୧୮-୧୯ରେ ୨ ଲକ୍ଷ ୧୭ ହଜାର କୋଟି ଟଙ୍କା ଓ ୨୦୧୯-୨୦ରେ ଦୁଇ ଲକ୍ଷ କୋଟି ଟଙ୍କା ଅଲଗା ରଖିଥିଲେ। ଏହାକୁ ପ୍ରୋଭିଜନିଂ କୁହାଯାଉଛି। ଏନ୍‌ପିଏ ଓ ଅନ୍ୟାନ୍ୟ ଆକସ୍ମିକ ସମସ୍ୟାର ମୁକାବିଲା ଲାଗି ବ୍ୟାଙ୍କଗୁଡ଼ିକ ଏହି ରାଶିର ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ସେଥିରେ ଏହି ପାଞ୍ଚ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ କ୍ଷତି ମଧ୍ୟ ସହିଛନ୍ତି। ୨୦୧୫-୧୬ରେ ବ୍ୟାଙ୍କଗୁଡ଼ିକର ହାରାହାରି ନିଟ୍ କ୍ଷତି ୧୧,୩୮୯ କୋଟି ଟଙ୍କା ଥିଲା। ୨୦୧୬-୧୭ରେ ଏହି କ୍ଷତି ୮୫,୩୭୦ କୋଟି ଟଙ୍କା, ୨୦୧୭-୧୮ରେ ୬୬,୬୩୬ କୋଟି ଟଙ୍କା ଓ ୨୦୧୮-୧୯ରେ ୨୫,୯୪୧ କୋଟି ଟଙ୍କା ଥିଲା। ୨୦୧୯‌-୨୦ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ପୁଣି ଲାଭ ପଥକୁ ଫେରି ୩୧,୮୨୦ କୋଟି ଟଙ୍କାର ହାରାହାରି ନିଟ୍ ଲାଭ ହାସଲ କରିଥିଲେ।

ସମ୍ବନ୍ଧିତ ଖବର