ମାର୍ଚ୍ଚରେ ସରିବ ବହୁ ପ୍ରତୀକ୍ଷିତ ‘କଳାମଣ୍ଡଳ’: ଦ୍ରୁତ ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ

ଶେଷ ହେବାକୁ ବସିଲାଣି କୋଠା ନିର୍ମାଣ

ଭୁବନେଶ୍ୱର, ୨୪।୮(ଇମିସ): ଖୁବ୍‌ ଶୀଘ୍ର ଖୋଲିବାକୁ ଯାଉଛି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘କଳାମଣ୍ଡଳ’। କଳା ଓ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମର ମିନି ନଗର ଭାବେ ଉଭା ହେବାକୁ ଥିବା ଏହି ପ୍ରେକ୍ଷାଳୟ ‘କଳାମଣ୍ଡଳ’ କାର୍ଯ୍ୟ ଦ୍ରୁତ ବେଗ‌ରେ ଆଗେଇ ଚାଲିଛି। ୨୦୨୧ ଡିସେମ୍ବରରେ କଳାମଣ୍ଡଳ କାର୍ଯ୍ୟ ଶେଷ ହେବ ବୋଲି ସରକାର କଣ୍ଟ ଦେଇଥିଲେ। ତେବେ ଆଉ ୩ ମାସ ବିଳମ୍ବରେ ଅର୍ଥାତ ଆସନ୍ତା ମାର୍ଚ୍ଚ ସୁଦ୍ଧା କଳାମଣ୍ଡଳ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ।
ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୭ ବର୍ଷର ‘କଳାମଣ୍ଡଳ’ ପ୍ରକଳ୍ପ ପାଇଁ ଯୋଜନା କରି ଆସୁଛନ୍ତି ରାଜ୍ୟ ସରକାର। ଶେଷରେ ଗତ ୨୦୧୮ ଫେବ୍ରୁଆରିରୁ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିବା ବେଳେ ୨୦୧୯ ଜୁଲାଇ ୧୫ ସୁଦ୍ଧା ଏହାକୁ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଲଗାତାର ବର୍ଷା ଯୋଗୁଁ କାମ ବାଧାପ୍ରାପ୍ତ ହୋଇଥିବା କୁହାଗଲା। ପୁଣି ବର୍ଷେ ସମୟ ଦିଆଗଲା। ୨୦୨୦ ଜୁଲାଇ ସୁଦ୍ଧା କଳାମଣ୍ଡଳର ମାତ୍ର ୬୦% କାମ ସରିଲା। ସମ୍ପୂର୍ଣ୍ଣ ଶେଷ ହେବାକୁ ଓ ଏହାର ଉଦ୍‌ଘାଟନ ପାଇଁ ପୁଣି ଏକ ନୂଆ ତାରିଖ ଠିକ୍‌ କରାଗଲା। ୨୦୨୧ ଡିସେମ୍ବର ସୁଦ୍ଧା ବାକି କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା। ଏବେ ବିଭାଗୀୟ ନିର୍ଦ୍ଦେଶକ ୩ ମାସରେ କଳାମଣ୍ଡଳ କାର୍ଯ୍ୟ ଶେଷ କରିବାକୁ ଯୋଜନା କରିଛନ୍ତି। କଳାମଣ୍ଡଳର ବିଲ୍ଡିଂ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ଆନୁଷଙ୍ଗିକ ଭିତ୍ତିଭୂମି ଓ ଆଭ୍ୟନ୍ତରୀଣ ସାଜସଜ୍ଜା ପାଇଁ ଆଉ କିଛି ସମୟ ଲାଗିବ ଓ ମାର୍ଚ୍ଚ ସୁଦ୍ଧା କଳାମଣ୍ଡଳ ସମ୍ପୂର୍ଣ୍ଣ ରୂପ ନେବ ବୋଲି ଶ୍ରୀ ଦାସ କହିଛନ୍ତି।

ଏମିତି ହେବ କଳାମଣ୍ଡଳ

୨ହଜାର ଆସନ ବିଶିଷ୍ଟ ମେଗା ଅଡିଟୋରିୟମ, ୫୦୦ ଆସନର ଆମ୍ପି ଥିଏଟର

ରାଜଧାନୀରେ କଳା, ସଂସ୍କୃତି, ନାଟକ, ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ପ୍ରେକ୍ଷାଳୟର ଅଭାବ ରହିଛି। ଏହି ପ୍ରେକ୍ଷାଳୟର ଅଭାବ ପୂରଣ ପାଇଁ ୨୦୦୩ରୁ ‘କଳାମଣ୍ଡଳ’ର ପରିକଳ୍ପନା କରାଯାଇଥିଲା। କେନ୍ଦ୍ର ସରକାର ଏଥିପାଇଁ ୨ କୋଟି ୩୦ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୨୦୦୬ ମସିହାରେ ସୈନିକ ସ୍କୁଲ୍‌ ନିକଟ ଗଜପତି ନଗରରେ ୧୦ ଏକର ଜମି ଯୋଗାଇ ଦିଆଯାଇଥିଲା। ମାତ୍ର ପରେ ଜମିର ମାଲିକାନାକୁ ନେଇ ବିବାଦ ଉପୁଜିଥିଲା। ଫଳରେ ୭ ଏକରରେ ପ୍ରକଳ୍ପର ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ମାମଲା କୋର୍ଟକୁ ଯାଇଥିବା ବେଳେ ସଂସ୍କୃତି ବିଭାଗ ମାମଲା ଜିତିବା ପରେ ୯.୮୫ ଏକର ଜମିରେ ଏବେ କାମ ଚାଲୁ ରହିଛି।

୨୦୧୮ରେ କାମ ଆରମ୍ଭ ବେ‌ଳେ ଏହି ପ୍ରେକ୍ଷାଳୟ ପାଇଁ ‌ବ୍ୟୟ ଅଟକଳ ୫୯ କୋଟି ୮୫ ଲକ୍ଷରେ ପହଞ୍ଚିଥି‌ଲା। ସାଂସ୍କୃତିକ କାର୍ଯ୍ୟକ୍ରମର ଓ୍ଵାନ୍‌ ଷ୍ଟପ୍‌ ଡେଷ୍ଟିନେସନ୍‌ ହେବାକୁ ଯାଉଥିବା ଏହି କଳାମଣ୍ଡଳ ପରିସର ମଧ୍ୟରେ ଏକ କଳାଗ୍ରାମ, ସଂଗ୍ରହାଳୟ, ମୁକ୍ତାକାଶ ମଞ୍ଚ ଓ ଅତିଥି ଭବନର ବ୍ୟବସ୍ଥା କରାଯାଇଛି। ପରିସର ମଧ୍ୟରେ ୨ ହଜାର ଆସନ ବିଶିଷ୍ଟ ମେଗା ଅଡିଟୋରିୟମ ସମେତ ୫୦୦ ଆସନ ବିଶିଷ୍ଟ ଆମ୍ପି ଥିଏଟର କରାଯିବାର ଯୋଜନା ହୋଇଛି। ଇତିମଧ୍ୟରେ ଏହା ଭିତରେ ଲଳିତ କଳାମଣ୍ଡଳ, ସଂଗୀତ କଳାମଣ୍ଡଳ, କଳା ଗ୍ରାମ, ଐତିହ୍ୟ ପାର୍କ, କାଫେଟେରିଆ ଓ ଅତିଥି ଭବନର ନିର୍ମାଣ କାମ ଶେଷ ହୋଇଛି। ୬୨ ହଜାର ବର୍ଗଫୁଟ୍‌ ପରିମିତ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ପାର୍କିଂ ସୁବିଧା କରାଯିବା ନେଇ ବ୍ୟବସ୍ଥା ହେଉଛି।

ରାଜଧାନୀରେ ଏବେ ୧୨୦୦ ଆସନ କ୍ଷମତା ବିଶିଷ୍ଟ ଘରୋଇ ଅଡିଟୋରିୟମ ଥିବା ବେଳେ ୨ ହଜାର ଆସନ କ୍ଷମତା ବିଶିଷ୍ଟ କଳାମଣ୍ଡଳରର ମେଗା ଅଡିଟୋରିୟମ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପାଇଁ ସୁଯୋଗ ସୃଷ୍ଟି କରିବ। ସଂପ୍ରତି ପର୍ଯ୍ୟଟନ କ୍ଷେତ୍ରରେ ମାଇସ୍‌ ପର୍ଯ୍ୟଟନ ତଥା ସମ୍ମିଳନୀ ପର୍ଯ୍ୟଟନ ପାଇଁ ବିପୁଳ ସୁଯୋଗ ରହଛି। ତେଣୁ ଏହି ଅଡିଟୋରିୟମ ନିର୍ମିତ ହେଲେ ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ପାଇଁ ବାଟ ଫିଟିବା ସହ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବାରେ ମଧ୍ୟ ସହାୟକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର