ଔଷଧ ଦୋକାନୀଙ୍କ ଦାଦାଗିରି; ଦୁର୍ଦ୍ଦଶା ଭୋଗୁଛନ୍ତି ରୋଗୀ

ଏମ୍ସ ପ୍ରାଙ୍ଗଣର ୨୪ ଘଣ୍ଟିଆ ଔଷଧ ଦୋକାନ ୧୫ ଦିନ ହେଲା ବନ୍ଦ

ଭୁବନେଶ୍ବର : ଔଷଧ ଦୋକାନୀଙ୍କ ଦାଦାଗିରି ହେଉ କି ଏମ୍ସ କର୍ତ୍ତୃପକ୍ଷଙ୍କ ଅପାରଗତା; କାରଣ ଯାହା ହେଉ ନା କାହିଁକି, ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି ରୋଗୀ। ବିଳମ୍ବିତ ରାତିରେ ଜରୁରୀକାଳୀନ ଚିକିତ୍ସା ନେଇ ଏମ୍ସରେ ପହଞ୍ଚୁଥିବା ରୋଗୀ ଔଷଧ ପାଇଁ ହଇରାଣ ହେଉଛନ୍ତି। ଏମ୍ସ ପ୍ରାଙ୍ଗଣରେ ଥିବା ୨୪ ଘଣ୍ଟିଆ ଔଷଧ ଦୋକାନ ପ୍ରାୟ ୧୫ ଦିନରୁ ଊର୍ଧ୍ବ ସମୟ ହେଲା ବନ୍ଦ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଅନ୍ୟଦିଗରେ ଏମ୍ସ ପକ୍ଷରୁ କୁହାଯାଇଛି, ଅବଧି ପୂରଣ ପରେ ବି ଏହି ଦୋକାନୀ ଜଣକ ଦୋକାନ ଛାଡ଼ୁନଥିବାରୁ ବାଧ୍ୟ ହୋଇ ଦୋକାନକୁ ବନ୍ଦ କରାଯାଇଛି। ନିର୍ଧାରିତ ସମୟ ମଧ୍ୟରେ ସେ ନଉଠିଲେ ତାଙ୍କୁ ଉଚ୍ଛେଦ କରାଯିବ।

ଏମ୍ସ ବହିର୍ବିଭାଗକୁ ପ୍ରତିଦିନ ପ୍ରାୟ ୨୫୦୦ରୁ ୩୦୦୦ ରୋଗୀ ଆସିଥାଆନ୍ତି। ଏଥି ସହିତ ଜରୁରୀକାଳୀନ ଚିକିତ୍ସା ପାଇଁ ପ୍ରତିଦିନ ୨୫୦ରୁ ୩୦୦ ରୋଗୀ ଏଠାରେ ପହଞ୍ଚି ଥାଆନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଅବସ୍ଥାରେ ଆସିଥାଆନ୍ତି। ଯେଉଁମାନଙ୍କ ଜୀବନ ବଞ୍ଚାାଇବା ଲାଗି ତୁରନ୍ତ ଔଷଧ ଆବଶ୍ୟକ ହୋଇଥାଏ। ଆଉ ଔଷଧ ପାଇଁ ରୋଗୀ ମୁଖ୍ୟତଃ ଏମ୍ସ ଡାକ୍ତରଖାନା ପ୍ରାଙ୍ଗଣରେ ଟେଣ୍ଡର ପାଇଥିବା ଘରୋଇ ଔଷଧ ଦୋକାନ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁବନ୍ଧିତ ଅମୃତ ଫାର୍ମାସି ଉପରେ ନିର୍ଭର କରିଥାଆନ୍ତି। ଏହି ଘରୋଇ ଔଷଧ ଦୋକାନ ଟେଣ୍ଡର ନିୟମ ଅନୁଯାୟୀ ୬୦ ପ୍ରତିଶତ ରିହାତିରେ ରୋଗୀଙ୍କୁ ଔଷଧ ଦେଇଥାଏ। ଏଥିଯୋଗୁଁ ଗରିବ ରୋଗୀଙ୍କୁ ଔଷଧ ଖର୍ଚ ତୁଲାଇବାରେ ଅସୁବିଧା ହୁଏ ନାହିଁ। ଅବଶ୍ୟ ଡାକ୍ତରଙ୍କ ପ୍ରେସକ୍ରିପସନ ଅନୁଯାୟୀ ଅଧିକାଂଶ ଔଷଧ ଏହି ଦୋକାନୀ ରଖୁନଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୁଏ। ସେହି ସମାନ ଅଭିଯୋଗ ସରକାରଙ୍କ ଅନୁବନ୍ଧିତ ଅମୃତ ଫାର୍ମାସି ବିରୋଧରେ ମଧ୍ୟ ହୋଇଥାଏ। କୋହଳ ଦରରେ ଉଭୟ ଦୋକାନ ରୋଗୀଙ୍କୁ ଔଷଧ ବିକ୍ରିର ବ୍ୟବସ୍ଥା ରହିଥିଲେ ମଧ୍ୟ ସେମାନେ ସମସ୍ତ ଔଷଧ ରଖୁନଥିବାରୁ ରୋଗୀଙ୍କୁ ସରକାରୀ ଯୋଜନାର ଲାଭ ମିଳେ ନାହିଁ। ଆଉ ସେମାନେ ବାଧ୍ୟ ହୋଇ ଡାକ୍ତରଖାନା ବାହାରେ ଥିବା ଦୋକାନରୁ ଔଷଧ କିଣି ଖର୍ଚ୍ଚାନ୍ତ ହୁଅନ୍ତି। ଏଥିଯୋଗୁଁ ଏମ୍ସ ବାହାରେ ମଧ୍ୟ ଔଷଧ ଦୋକାନ ସଂଖ୍ୟା ବଢିବାରେ ଲାଗିଛି।

ବର୍ତ୍ତମାନ ସମସ୍ୟା ହେଲା, ଡାକ୍ତରଖାନା ପ୍ରାଙ୍ଗଣରେ ଟେଣ୍ଡର ପାଇଥିବା ଏହି ଔଷଧ ଦୋକାନ ୧୫ ଦିନ ହେଲା ବନ୍ଦ ପଡ଼ିଥିବାରୁ ବହିର୍ବିଭାଗ ରୋଗୀମାନଙ୍କୁ ଯାହା ବି କିଛି ଔଷଧ ମିଳୁଥିଲା, ତାହା ଆଉ ମିଳୁ ନାହିଁ। ବିଶେଷକରି ରାତିରେ ପହଞ୍ଚୁଥିବା ରୋଗୀଙ୍କ ପାଇଁ ସମସ୍ୟା ହେଉଛି। ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କୁ ଆବଶ୍ୟକ ଔଷଧ ଏମ୍ସ ପକ୍ଷରୁ ଦିଆଯାଏ। ଅଚାନକ କୌଣସି ଔଷଧ ନମିଳିଲେ ବିଳମ୍ବିତ ରାତିରେ ସେମାନେ ଡାକ୍ତରଖାନା ପ୍ରାଙ୍ଗଣରେ ଥିବା ଦୋକାନ ଉପରେ ନିର୍ଭର କରନ୍ତି। କିନ୍ତୁ ବର୍ତ୍ତମାନ ଦୋକାନ ବନ୍ଦ ରହିବା ଫଳରେ ସବୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ‌ନେଇ ଏମ୍ସ ପକ୍ଷରୁ କୁହାଯାଇଛି ଯେ ଡାକ୍ତରଖାନା ପ୍ରାଙ୍ଗଣରେ ଥିବା ଏହି ଔଷଧ ଦୋକାନର ଅବଧି ପ୍ରାୟ ୯ ମାସ ହେଲା ସରିଯାଇଛି। ତାଙ୍କ ଜାଗାରେ ନୂଆ ବ୍ୟକ୍ତିଙ୍କୁ ନିର୍ଧାରିତ ନିୟମରେ ଚୟନ ମଧ୍ୟ କରାଯାଇଛି। ଏହାପରେ ତାଙ୍କୁ ଦୋକାନ ଛାଡ଼ିବା ପାଇଁ ଅନେକ ଥର ନୋଟିସ କରାଯାଇଛି। ମାତ୍ର ଦୋକାନୀ ଏଥିପ୍ରତି ଧ୍ୟାନ ଦେଇ ନାହାନ୍ତି। ତେଣୁ କିଛି ଦିନ ପୂର୍ବରୁ ବାଧ୍ୟ ହୋଇ ଏମ୍ସ ପକ୍ଷରୁ ଦୋକାନକୁ ବନ୍ଦ କରାଯାଇଛି। ଏହାପରେ ବି ଯଦି ସେ ନ ଶୁଣନ୍ତି ତେବେ ବିଏମସି ଜରିଆରେ ତାଙ୍କୁ ଉଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର