ଓଡ଼ିଶାକୁ ନେଇ ଆମେ ଉତ୍ସାହିତ: ଆଭିଭା ସିଇଓ

ଆଭିଭା ଇଣ୍ଡିଆର ଏମ୍‌ଡି ଓ ସିଇଓ ପଦରେ କାର୍ଯ୍ୟ କରୁଥିବା ଓଡ଼ିଆ ଯୁବକ ଅସିତ ରଥ ‘କନକ ନିଉଜ୍‌’ ସହ ବୀମା ଶିଳ୍ପର ସାମ୍ପ୍ରତିକ ସ୍ଥିତି, ନିଜ ସଂସ୍ଥା ଓ ଉତ୍ପାଦ ଏବଂ ଓଡ଼ିଶା ସମ୍ପର୍କରେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି:

୨୦୦୨ରୁ ୨୦୨୨ ପର୍ଯ୍ୟନ୍ତ ଆପଣ ଆଭିଭା ଇଣ୍ଡିଆକୁ କିଭଳି ଦେଖୁଛନ୍ତି?
ଆଭିଭା ଲାଇଫ୍ ଇନ୍‌ସ୍ୟୁରାନ୍ସ ହେଉଛି ଏକ ୩୨୬ ବର୍ଷ ପୁରୁଣା କଂପାନି। ବ୍ରିଟେନ୍‌ରେ ଆମର ମୁଖ୍ୟ କାର୍ଯ୍ୟାଳୟ ରହିଛି। ୧୮୩୪ରେ ପ୍ରଥମ ଥର ଏହି କଂପାନି ଭାରତ ଆସିଥିଲା। ବୀମା ଶିଳ୍ପର ଜାତୀୟକରଣ ହେବା ପରେ କଂପାନି ଭାରତରୁ ଫେରଯାଇଥିଲା। ଲାଇସେନ୍ସ ବ୍ୟବସ୍ଥା କୋହଳ ହେବା ପରେ ୨୦୦୨ରେ ଆଭିଭା ପୁଣି ଭାରତକୁ ଫେରିଥିଲା। ଆମର ୨.୩ ନିୟୁତ ଗ୍ରାହକ ରହିଛନ୍ତି। ଆମେ ଦେଶର ପ୍ରଥମ ୟୁଲିପ୍ ଏବଂ ଅନ୍‌ଲାଇନ୍‌ ଟର୍ମ ପ୍ଲାନ୍ ଆଣିଥିଲୁ। ଆଭିଭା ଇଣ୍ଡିଆରେ ଆମର ୭୪ ପ୍ରତିଶତ ଅଂଶଧନ ରହିଛି। ଓଡ଼ିଶା ବଜାରକୁ ଆମେ ବେଶ ଗୁରୁତ୍ବ ଦେଉଛୁ।

ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି କଂପାନିର କ’ଣ ଯୋଜନା ରହିଛି?
ଆମ ବୀମା ଉତ୍ପାଦରେ ଆମେ କ୍ରିଟିକାଲ୍ ଇଲ୍‌ନେସ୍‌ (ଜଟିଳ ଅସୁସ୍ଥତା)କୁ ଯୋଡ଼ିବାକୁ ଯୋଜନା ରଖିଛୁ। ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରଯୁକ୍ତି ସଂସ୍ଥାଗୁଡ଼ିକ ସହ ମିଶି ଆମେ ଏକ ପ୍ଲାଟଫର୍ମ ବିକାଶ କରିବା ଉପରେ କାମ କରୁଛୁ। ତାହାର ଚାରିଟି ପ୍ରମୁଖ ସ୍ତମ୍ଭ ହେଉଛି ପୁଷ୍ଟିକର ଖାଦ୍ୟ ପରାମର୍ଶ, ଫିଟ୍‌ନେସ୍‌ ପରାମର୍ଶ, ମାନସିକ ସ୍ବାସ୍ଥ୍ୟ ଏବଂ ନିୟିତ ସ୍ବାସ୍ଥ୍ୟ ଯାଞ୍ଚ। ସେହି ପ୍ଲାଟଫର୍ମରେ ଆମେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଡିଜିଟାଲ୍ ଜ୍ଞାନକୌଶଳର ବ୍ୟବହାର କରିବୁ। ଅତି ସୁଲଭ ମୂଲ୍ୟରେ ତାହା ସବୁ ବର୍ଗରଗ୍ରାହକମାନଙ୍କ ପାଖରେ ପହଞ୍ଚିପାରିବ।

ନିବେଶକୁ ନେଇ କଂପାନିର କ’ଣ ଯୋଜନା ରହିଛି?
ନିବେଶରେ ଗ୍ରାହକମାନେ ଦୁଇ ପ୍ରକାର ଜିନିଷ ଖୋଜୁଛନ୍ତି। କିଛି ଗ୍ରାହକ ନିବେଶରେ ଗ୍ୟାରେଣ୍ଟି ଖୋଜନ୍ତି ଓ ଅନ୍ୟମାନେ ଷ୍ଟକ ବଜାରରେ ନିବେଶ କରିବାକୁ ଚାହାନ୍ତି। ଆମେ ୟୁଲିପ୍ ୨.୦ ପ୍ଲାନ୍ ଆଣିବାକୁ ଯୋଜନା ରଖିଛୁ ଯେଉଁଥିରେ ଗ୍ରାହକମାନେ ଉଭୟ ଡେବ୍‌ଟ ଓ ଇକ୍ବିଟିର ରିଟର୍ଣ୍ଣ ଲାଭ ପାଇପାରିବେ।

କରୋନା ପରେ ବୀମା ଶିଳ୍ପର ସ୍ଥିତି କିଭଳି ରହିଛି?
କରୋନା ପରେ ବୀମାକୁ ନେଇ ସଚେତନତା ବୃଦ୍ଧି ପାଇଛି। ଗ୍ରାହକମାନଙ୍କୁ ସୁହାଇବା ଭଳି ଉତ୍ପାଦ କିଭଳି ଶୀଘ୍ର ବଜାରକୁ ଆସିବ ତାହା ହେଉଛି ଏବେ ବୀମା କଂପାନିଗୁଡ଼ିକର ଦାୟିତ୍ବ। ଆଭିଭାରେ ଆମେ ସେଦିଗରେ କାର୍ଯ୍ୟ କରୁଛୁ। ଟର୍ମ ପ୍ଲାନ୍ ହେଉ କିମ୍ବା ନିବେଶ ପ୍ଲାନ୍, ଆମେ ଗ୍ରାହକଙ୍କୁ ସୁହାଇବା ଭଳି ଉତ୍ପାଦ ଆଣିବୁ।

ଆଭିଭା କିଭଳି ଅନ୍ୟ ବୀମା କଂପାନିଠାରୁ ଭିନ୍ନ?
ଅନ୍ୟମାନଙ୍କଠାରୁ ଯାହା ଆମକୁ ଭିନ୍ନ କରିଛି ତାହା ଆମର ‘ପ୍ରଥମେ ଗ୍ରାହକ’ ମନ୍ତ୍ର। ଆମର ସବୁ ପଦକ୍ଷେପର ମୂଳରେ ରହିଛନ୍ତି ଗ୍ରାହକ। ବାକି ସବୁ କିଛି ସେମାନଙ୍କ ପରେ ଆସୁଛି। ସେଥିପାଇଁ ଆମକୁ ଗତ ତିନି ବର୍ଷ ହେଲାଣି ସବୁଠୁ ବିଶ୍ବସନୀୟ ଜୀବନ ବୀମା ବ୍ରାଣ୍ଡ୍‌ର ପୁରସ୍କାର ମିଳୁଛି।

ଗ୍ରାହକମାନେ ସବୁ କିଛି ଶୀଘ୍ର ପାଇବାକୁ ଚାହୁଛନ୍ତି? ଆପଣଙ୍କ କଂପାନି ଏ ଦିଗରେ କ’ଣ କାମ କରୁଛି?
ଭାରତରେ ଯେଉଁ ଡିଜିଟାଇଜେସନ ହେଉଛି ତାହା ବିଶ୍ବର ଅନ୍ୟ କୌଣସିଠାରେ ଦେଖିବାକୁ ମିଳୁନି। ଆଧାର ଇ-କେୱାଇସି, ନ୍ୟାସନାଲ ହେଲ୍‌ଥ ମିସନ, ଇନ୍‌ସ୍ୟୁରାନ୍ସ ଆକାଉଣ୍ଟ୍‌ ଏଗ୍ରିଗ୍ରେଟରଙ୍କ ଭଳି ବିଭିନ୍ନ ମାଧ୍ୟମରୁ ମିଳୁଥିବା ତଥ୍ୟ ଆଧାରରେ ଆମେ ଇନଷ୍ଟାଣ୍ଟ୍‌ ବୀମା ପଲିସି ଆଣିବାକୁ ଏବଂ ତତ୍କାଳ ଦାବି ସମାଧାନ କରିବାକୁ ଚାହୁଛୁ।

ମଧ୍ୟବିତ୍ତ ପରିବାର ଲାଗି କ’ଣ ଯୋଜନା ରହିଛି?
ସମାଜର ନିମ୍ନ ବର୍ଗରେ ଥିବା ଲୋକମାନଙ୍କ ପାଇଁ ପିଓର ପ୍ରୋଟେକ୍ସନ ପ୍ଲାନ୍ ଦରକାର। ତାହାର ପ୍ରିମିୟମ୍ ବହୁତ କମ୍। ସେମାନଙ୍କଠାରୁ ଆଉ ଟିକେ ଉନ୍ନତ ସ୍ତରରେ ଥିବା ଗ୍ରାହକମାନେ ଉଭୟ ବୀମା ସୁରକ୍ଷା ଓ ନିବେଶ ଚାହୁଛନ୍ତି। ସେମାନଙ୍କ ପାଇଁ ଅଲଗା ଉତ୍ପାଦ ରହିଛି। ଧନୀକ ବର୍ଗର ଗ୍ରାହକମାନଙ୍କ ଲାଗି ସମ୍ପୂର୍ଣ୍ଣ ଅଲଗା ଉତ୍ପାଦ ରହିଛି।

ଓଡ଼ିଶା ବିଷୟରେ ଆପଣ କ’ଣ କହିବେ?
ଓଡ଼ିଶାକୁ ନେଇ ଆମେ ବେଶ ଉତ୍ସାହିତ। ଓଡ଼ିଶା ଯେଉଁ ଭଳି ଭାବେ ଆଗକୁ ବଢ଼ୁଛି ତାହାକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରିବାକୁ ଉଦ୍ୟମ କରୁଛନ୍ତି। ଓଡ଼ିଶାରେ ଲୋକମାନେ କିଭଳି ଭଲ ଖାଇବେ, ଅଧିକ ଚଳପ୍ରଚଳ କରିବେ ଏବଂ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ ତାହା ଉପରେ ଆମେ ଗୁରୁତ୍ବ ଦେବୁ। ଏହି ପ୍ରତିଶ୍ରୁତି ଆମର ବିଭିନ୍ନ ପଦକ୍ଷେପରେ ପ୍ରତିଫଳିତ ହେବ।
-ସାକ୍ଷାତକାର: ସ୍ବସ୍ତିକା ପଣ୍ଡା

ସମ୍ବନ୍ଧିତ ଖବର