ଷ୍ଟାର୍ଟଅପ୍‌ ସଂସ୍ଥା ଉପରେ ଆୟକର ଚଢ଼ଉ: ୨୨୪ ‌କୋଟିର ଅଘୋଷିତ ଆୟ ଠାବ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେ ଏବଂ ଠାଣେ ଭିତ୍ତିକ ଏକ ଷ୍ଟାର୍ଟଅପ୍ ସଂସ୍ଥା ‌ଯିଏକି ୟୁନିକର୍ଣ୍ଣ ମାନ୍ୟତା ପାଇସାରିଛି ତାହା ଉପରେ ଆୟକର ବିଭାଗ ବଡ଼ ଧରଣର ଚଢ଼ଉ କରିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶର ୨୩ଟି ସ୍ଥାନରେ ଗତ ୯ ତାରିଖରେ ଏହି ଚଢ଼ଣୁ କରାଯିବା ସହିତ ୨୨୪ କୋଟି ଟଙ୍କାର ଅଘୋଷିତ ଆୟ ଠାବ କରାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଉକ୍ତ ସଂସ୍ଥାର ନାମ ପ୍ରକାଶ କରାଯାଇ ନାହିଁ। କିନ୍ତୁ କମ୍ପାନିଟି ନିର୍ମାଣ ସାମଗ୍ରୀର ଖୁଚୁରା ଓ ପାଇକାରୀ ବ୍ୟବସାୟ କରୁଛି ଏବଂ ଏହାର ବାର୍ଷିକ କାରବାର ୬୦୦୦ କୋଟି ଟଙ୍କାରୁ ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ସଂସ୍ଥା ନିକଟରୁ ୧ କୋଟି ଟଙ୍କାର ଅଘୋଷିତ ଅର୍ଥ ଏବଂ ୨୨ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଜବତ କରାଯାଇଛି। ଏଥିସହିତ କମ୍ପାନିର ପାଖାପାଖି ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆର୍ଥିକ ଅନିୟମିତତାକୁ ମଧ୍ୟ ଆୟକର ବିଭାଗ ଧରିଛି ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି। ମାତ୍ରାଧିକ ପ୍ରିମିୟମରେ ସେୟାର ଜାରି କରି ମରିସସ୍ ବାଟେ କମ୍ପାନି ବିପୁଳ ପରିମାଣର ବିଦେଶୀ ପାଣ୍ଠି ମଧ୍ୟ ସଂଗ୍ରହ କରିଛି। ମୁମ୍ବାଇ ଓ ଥାନେର କେତେକ ଭୂତ କମ୍ପାନି ନାମରେ ଚାଲିଥିବା ଏକ ଜଟିଳ ହାୱଲା ନେଟୱର୍କକୁ ମଧ୍ୟ ଆୟକର ବିଭାଗ ଧରିଛି। ଏହି ଭୂତ କମ୍ପାନି ଗୁଡ଼ିକ କେବଳ କାଗଜପତ୍ରରେ ଚାଲିଥିଲା।

ସମ୍ବନ୍ଧିତ ଖବର