ଧାନକିଣା ଅବ୍ୟବସ୍ଥା: ଚାଷୀଙ୍କ ରାସ୍ତା ଅବରୋଧ

କେନ୍ଦୁଝର/ପାଟଣା : କେନ୍ଦୁଝର ଜିଲ୍ଲା  ସାହାରପଡ଼ା ବ୍ଲକ୍‌ ଟଭାସରୁଆ ଲ୍ୟାମ୍ପସ୍‌ ଶାଖାରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଧାନ କିଣିବା ଦାବିରେ ଆଜିରେ ଉତ୍ତ୍ୟକ୍ତ ଚାଷୀମାନେ ୨୨୦  ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

କେନ୍ଦୁଝର ଜିଲ୍ଲା ସାହାରପଡ଼ା ସମବାୟ ସମିତିର ଟଭାସରୁଆ ଶାଖାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ସାହାରପଡ଼ା ବ୍ଲକ୍‌ର କପୁଣ୍ଡି, ତେଣ୍ଡରା, ବଡ଼ବିଲ, ଗଣ୍ଡବେଡ଼ା ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ମୋବାଇଲକୁ ଧାନ ବିକିବା ପାଇଁ ମେସେଜ ଆସିଥିଲା। ଚାଷୀମାନେ ଧାନ ନେଇ ଟଭାସରୁଆ ଶାଖାକୁ ଆସିଥିଲେ। କିନ୍ତୁ ସମବାୟ ସମିତି କିମ୍ବା ଯୋଗାଣ ବିଭାଗ କର୍ମଚାରୀଙ୍କ ଦେଖାଦର୍ଶନ ମିଳି ନଥିଲା। ଫଳରେ ଚାଷୀମାନେ ଧାନ ବିକ୍ରି କରିପାରି ନଥିଲେ। ଦୁଇଦିନ ଧରି ମଣ୍ଡିରେ ଧାନ ପଡ଼ି ରହିଥିବା ବେଳେ ଚାଷୀମାନେ ରାତି ଅନିଦ୍ରା ରହି ଜଗି ରହିଥିଲେ। ଟୋକନ ଅବଧି ସରିବା ପରେ ଧାନ କିପରି ବିକ୍ରି କରିବେ ତାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥିଲା। ଏହାର ପ୍ରତିବାଦରେ ଚାଷୀମାନେ ଧାନବସ୍ତା ରଖି ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଅଟକି ରହଥିଲା। ଖବର ପାଇ ଘଟଣାସ୍ଥଳରେ ପାଟଣା ଥାନା ପୁଲିସ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ବୁଝାସୁଝା କରିବା ପରେ ଅପରାହ୍‌ଣରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା।

ସମ୍ବନ୍ଧିତ ଖବର