୧୩ ଲକ୍ଷ ଜମାକାରୀ ଫେରିପାଇଲେ ୮,୫୧୬ କୋଟି, ବ୍ୟାଙ୍କ ବନ୍ଦ ହେବାପରେ ଚିନ୍ତିତ ଥିଲେ

ନୂଆଦିଲ୍ଲୀ: ବ୍ୟାଙ୍କ ବନ୍ଦ ହେବା ପରେ ପ୍ରଭାବିତ ହୋଇଥିବା ପ୍ରାୟ ୧୩ ଲକ୍ଷ ଜମାକାରୀ ୮,୫୧୬ କୋଟି ଟଙ୍କା ଫେରିପାଇଛନ୍ତି। ଜମା ଉପରେ ରହିଥିବା ବୀମା ସୁବିଧା ଯୋଗୁ ସେମାନେ ଏହି ଟଙ୍କା ପାଇଛନ୍ତି। ବନ୍ଦ ହୋଇଯାଇଥିବା, ଅନ୍ୟ ସଂସ୍ଥା ସହ ବ୍ୟାଙ୍କର ମିଶ୍ରଣ ଘଟିବା କିମ୍ବା ରିଜର୍ଭ ବ୍ୟାଙ୍କ କଟକଣା ଲାଗିବା ପରେ ଏହି ଜମାକାରୀମାନେ ନିଜ ଜମା ଟଙ୍କା ପାଇବାକୁ ସଂଘର୍ଷ କରିଥିଲେ।

ବ୍ୟାଙ୍କ ଜମା ଉପରେ ୫ ଲକ୍ଷ ଟଙ୍କାର ବୀମା ରହିଛି। କୌଣସି ଅଭାବନୀୟ ପରିସ୍ଥିତିରେ ବ୍ୟାଙ୍କ ବନ୍ଦ ହୋଇଥିଲେ ତାହାର ଜମାକାରୀମାନଙ୍କୁ ସେହି ବୀମା ବଳରେ ଟଙ୍କା ଫେରସ୍ତ କରାଯାଏ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ‘ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ୍‌ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ସ୍ଥାପନ କରାଯାଇଛି। ଏହି ସଂସ୍ଥା ୨୦୨୧-୨୨ରେ ୧୨.୯୪ ଲକ୍ଷ ଜମାକାରୀଙ୍କ ଦାବି ଫଇସଲା କରି ୮,୫୧୬.୬ କୋଟି ଟଙ୍କା ଫେରାଇଛି। ବନ୍ଦ ହୋଇଯାଇଥିବା ବ୍ୟାଙ୍କର ଜମାକାରୀଙ୍କୁ ୫,୦୫୯ କୋଟି ଟଙ୍କା ଫେରସ୍ତ କରାଯାଇଥିବା ବେଳେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇଥିବା ସଂସ୍ଥାର ଜମାକାରୀମାନଙ୍କୁ ୩,୪୫୭ କୋଟି ଟଙ୍କା ଦିଆଯାଇଛି। କୌଣସି ବାଣିଜ୍ୟିକ ବ୍ୟାଙ୍କ ବନ୍ଦ ହୋଇନଥିବାରୁ ସେମାନଙ୍କ ଗ୍ରାହକଙ୍କଠାରୁ କିଛି ବି ଦାବି ଆସିନାହିଁ।

ବ୍ୟାଙ୍କ ଜମା ଉପରେ ପୂର୍ବରୁ ୧ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଥିଲା। ୨୦୨୨ରେ କେନ୍ଦ୍ର ସରକାର ତାହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ଡିଆଇସିଜିସି ଅଧୀନରେ ୨୫୬.୭ କୋଟି ବ୍ୟାଙ୍କ ଖାତାର ବୀମା ହୋଇଛି। ଦେଶରେ ମୋଟ ବ୍ୟାଙ୍କ ଜମା ଖାତାର ତାହା ହେଉଛି ୯୭.୯ ପ୍ରତିଶତ। ଏ କ୍ଷେତ୍ରରେ ଆନ୍ତର୍ଜାତିକ ହାର ୮୦%ଠାରୁ ଭାରତ ବହୁ ଆଗରେ ରହିଛି। ୨୦୨୧-୨୨ରେ ବୀମା ପ୍ରିମିୟମ୍ ବାବଦରେ ଏହି ସଂସ୍ଥା ୧୯,୪୯୧ କୋଟି ଟଙ୍କା ପାଇଥିଲା। ସେଥିରୁ ୯୩.୪ ପ୍ରତିଶତ ରାଶି ବାଣିଜ୍ୟିକ ବ୍ୟାଙ୍କ ଦେଇଥିବ‌ା ବେଳେ ୬.୪ ପ୍ରତିଶତ ରାଶି ସମବାୟ ବ୍ୟାଙ୍କ ଦେଇଥିଲେ। ଡିଆଇସିଜିସି ଅଧୀନରେ ୨,୦୪୦ଟି ବ୍ୟାଙ୍କ ସେମାନଙ୍କ ଜମାର ବୀମା କରାଇଛନ୍ତି।

ସମ୍ବନ୍ଧିତ ଖବର