କଳାଟଙ୍କା ସୂଚନା ଦେଲେ ମିଳିବ ୫ କୋଟି

ନୂଆଦିଲ୍ଲୀ: ବେନାମୀ କାରବାର ବା ସମ୍ପତ୍ତି ସମ୍ପର୍କରେ ଆୟକର ବିଭାଗକୁ ନିର୍ଦ୍ଦିଷ୍ଟ ସୂଚନା ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ମିଳିବ। ସେହିଭଳି ଭଳି ବିଦେଶରେ ଥିବା ଅଘୋଷିତ କଳାଟଙ୍କା ସମ୍ପର୍କରେ ସୂଚନା ଦେଲେ ୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି।
ଏଥିସହିତ ଆୟକର ସୂଚନାଦାତା ପୁରସ୍କାର ଯୋଜନାରେ ସଂଶୋଧନ ଅଣାଯାଇଛି। ଏଥିରେ ଟିକସ ଫାଙ୍କି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଲେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନର ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଆଜି ବେନାମୀ କାରବାର ସୂଚନାଦାତା ପୁରସ୍କାର ସ୍କିମ୍‌-୨୦୧୮ ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ ଭାରତୀୟଙ୍କ ସମେତ ବିଦେଶୀମାନେ ମଧ୍ୟ ଆୟକର ବିଭାଗକୁ ସୂଚନା ଦେଇ ପୁରସ୍କାର ଜିତିପାରିବେ। ବେନାମୀ କାରବାର (ନିବାରଣ) ସଂଶୋଧନ ଆଇନ,୨୦୧୬ ଅନୁଯାୟୀ ଜଣେ ବ୍ୟକ୍ତି ବେନାମୀ ସମ୍ପତ୍ତି ବା କଳାଟଙ୍କା ସମ୍ପର୍କିତ ସୂଚନା ଯୁଗ୍ମ କିମ୍ବା ଅତିରିକ୍ତ କମିସନରଙ୍କୁ ପ୍ରଦାନ କରିପାରିବେ। ବେନାମୀ ସମ୍ପତ୍ତି ସଂପର୍କରେ ସୂଚନା ଦେବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି ପୁରସ୍କାର ଯୋଜନା ଆରମ୍ଭ କରାଯାଇଛି ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି। ଆୟକର ବିଭାଗର ବେନାମୀ ପ୍ରୋହିବିସନ୍‌ ୟୁନିଟ୍‌ର ଯୁଗ୍ମ କିମ୍ବା ଅତିରିକ୍ତ କମିସନର୍‌ଙ୍କୁ ନିର୍ଦ୍ଧାରିତ ଢାଞ୍ଚାରେ ସୂଚନା ଦେବାକୁ ହେବ।

ସମ୍ବନ୍ଧିତ ଖବର